ଚୈତ୍ର ପ୍ରଥମ ମଙ୍ଗଳବାର (ପ୍ରଥମ ପାଳି ଯାତ୍ରା)

ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ବେଢାରେ ସୀମନ୍ତିନୀ ଗଣ ଙ୍କ ଦ୍ଵାରା ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି।

ପ୍ରାୟତଃ ମଧ୍ୟାହ୍ନ ରେ ନେତ୍ର ଉତ୍ସବ ଅନୁଷ୍ଠିତ ହୁଏ। ଏହି ଉତ୍ସବ ପ୍ରତିବର୍ଷ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପ୍ରଥମ ପାଳି ଯାତ୍ରା ରେ ଅନୁଷ୍ଠିତ ହୁଏ। ପୂଜାପଣ୍ଡା ଏକ ପିତ୍ତଳ ଥାଳିରେ ନେତକୁ ଧରି ଘଣ୍ଟ ଘଣ୍ଟା ମାଧ୍ୟମରେ ମନ୍ଦିର ର ଚତୁଃପାର୍ଶ୍ଵ ରେ ତିନି ଥର ପରିକ୍ରମା କରିଥାନ୍ତି ଏବଂ ମା’ ଙ୍କର ସେବକ ମାନେ ମନ୍ଦିର ଚୂଡାଦେଶକୁ ନେତ ସହ ଆରୋହଣ କରି ତିନି ଥର ଚୂଡା ପରିକ୍ରମା କରିଥାନ୍ତି ଏବଂ ଚକ୍ର କୁ ଚୁଆ ହଳଦି ଲଗାଇ ଧୌତ କରିବା ପରେ ନୂତନ ନେତ କୁ ଚକ୍ର ରେ ବାନ୍ଧିଦିଅନ୍ତି ଜଗତ ଜନନୀ ପାଖରେ ଜଗତ ର ମଙ୍ଗଳ କାମନା କରି। ପ୍ରତିବର୍ଷ ଏହି ନୂତନ ନେତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତଣ୍ଡଉଣି ଗ୍ରାମ ର ଜନୈକ ଦରଜି ପରିବାର ଯୋଗାଇଥାନ୍ତି।

ପରିକ୍ରମା ସମୟରେ ସଂକୀର୍ତ୍ତନ ଦଳ, କାଳେସୀ ଓ ଭକ୍ତ ମାନଙ୍କର ହରିନାମ, ହୁଳହୁଳି ଓ ଗୋପାଳ ମାନଙ୍କର ଲଉଡି ଖେଳରେ ପୀଠ ପ୍ରକମ୍ପିତ ହୁଏ। ପରେ ଶାରଳା ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ଭୋଇ ସେବକ ମାନେ ମା’ ଙ୍କର ଆଜ୍ଞାମାଳ ପାଇବା ପର ଘଣ୍ଟ, ଢୋଲ ଓ କାହାଳୀ ମଧ୍ଯରେ ପ୍ରାଚୀ ନଦୀ ର ଘଟତୋଳା ତୁଠ କୁ ଗମନ କରି ସେଠାରେ ପଞ୍ଚମୁଖୀ ଘାଟିରେ ପ୍ରାଚୀ ରୁ ପାଣି ତୋଳି ସାରି ମନ୍ଦିର କୁ ଫେରନ୍ତି। ଘଣ୍ଟ ପାଟୁଆ ସେବକ ମାନେ ନିଜକୁ ନାରୀ ବେଶରେ ସଜାଇ ହୋଇଥାନ୍ତି। ମନ୍ଦିର ଫେରିବା ପରେ ଘଣ୍ଟ ପାଟୁଆ ନୃତ୍ୟ କରିଥାନ୍ତି। ପାଟୁଆ ନୃତ୍ୟ ସମାପନ ହୁଏ। ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ, ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣ ନୀତି ଅନୁଷ୍ଠିତ ହୋଇଥାଏ।

ଭ୍ରମଣୀ ନୀତି ଚୈତ୍ର ମାସର ଚାରି ମଙ୍ଗଳବାର, ଝାମୁପାଳି, ଓ ଆଶ୍ଵିନ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ଛଅଦିନ ପାଳିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

ତୃତୀୟ ପାଳିଯାତ୍ରା ର ଅଭିନନ୍ଦନ ଗୋ ମା..